ଦୀପକ ମିଶ୍ର, ଉଦଳା /ସେକ୍ ଫୈଜାନ କାଦ୍ରୀ, ଭଦ୍ରକ : ପିଲା ଗଣେଶ, ଟୋକା ଗଣେଶ ଓ ବାବା ବୁଢା ଗଣେଶଙ୍କ ପୂଜା ପାଇଁ ଭଦ୍ରକ ସହର ବେଶ ପ୍ରସିଦ୍ଧ। ୧ ମାସ ଧରି ଚାଲେ ଏହି ତିନି ଠାକୁରଙ୍କ ପୂଜା । କିନ୍ତୁ ଚଳିତ ବର୍ଷ ବିଘ୍ନ ବିନାଶକଙ୍କ ପୂଜାରେ ବିଘ୍ନ ସୃଷ୍ଟି କରିଛି କାରୋନା । ମହାମାରୀ କରୋନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସାର୍ବଜନୀନ ଗଣେଶ ପୂଜାକୁ ବାରଣ କରାଯାଇଛି । ତେଣୁ ଭଦ୍ରକ ଜିଲ୍ଲା ର ଏହି ତିନି ଐତିହାସିକ ମଣ୍ଡପ ସହ ଅନ୍ୟ ସମସ୍ତ ମଣ୍ଡପ ଓ ଅନୁଷ୍ଠାନରେ ପୂଜା ପାଇଁ ଅନୁମତି ମିଳିନାହିଁ । ସବୁ ମଣ୍ଡପରେ ସରକାରୀ ନୋଟିସ ଲଗାଇଛି । ତେଣୁ ମଣ୍ଡପ ଓ ଅନୁଷ୍ଠାନ ଗୁଡିକ ପରମ୍ପରା ରକ୍ଷା କରିବାକୁ ନିରାଡମ୍ବର ଭାବେ ପୂଜା ହେଉଛି । ହେଲେ ବାବା ବୁଢା ଗଣେଶ ଓ ଟୋକା ଗଣେଶଙ୍କ ମଣ୍ଡପରେ ମୂର୍ତ୍ତି ନିର୍ମାଣ ସରିଥିବାରୁ ମୂର୍ତ୍ତି ସ୍ଥାନାନ୍ତର ସମ୍ଭବ ହେଉନାହିଁ । ସେଥି ପାଇଁ ମଣ୍ଡପକୁ ବନ୍ଦ କରି କେବଳ ପୂଜକ ପୂଜା କରିଥିବା କହିଛନ୍ତି କମିଟି କର୍ମକର୍ତ୍ତା ।
ସେହିପରି ମୟୁରଭଞ୍ଜ ଜିଲ୍ଲା ଉଦଳାରେ ମଧ୍ୟ ଗଣେଶ ପୂଜାରେ ଖାଁ ଖାଁ ଲାଗୁଛି ପରିବେଶ । ନା ଅଛି ମେଢ଼ ନା ଅଛି ପୂଜାର ମାହୋଲ । କୋଭିଡ ନିୟମକୁ ମାନି କିଏ ଘରେ ପୂଜା କରୁଛନ୍ତି ତ କିଏ ଉଦଳାରେ ଥିବା ଏକମାତ୍ର ଗଣେଶ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ତେବେ ଗଣେଶ ମନ୍ଦିରକୁ ଯାଉଥିବା ଶ୍ରଦ୍ଧାଳୁ ମାନେ ମୁଁହରେ ମାସ୍କ ଓ ସାମାଜିକ ଦୂରତା ରକ୍ଷା କରିବା ଦେଖିବାକୁ ମିଳିଛି ।