(ସୁନ୍ଦର ପାନି)କୋରାପୁଟ: ତିନି ବର୍ଷ ପୂର୍ବେ ବାପା ମା’କୁ ହରାଇଥିଲେ । ପରେ ଛୋଟ ଭାଇ ଭଉଣୀଙ୍କ ପେଟପୋଷିବା ପାଇଁ ଇଟା ଭାଟିରେ କାମକରିବାକୁ ବାଧ୍ୟ ହୋଇଥିବା ଆଦିବାସୀ ଝିଅ ମାଣିକର ହାତ ଧରି ସଂସାର କରିବା ପାଇଁ ଆଗେଇ ଆସିଛନ୍ତି ଜଣେ ସହୃଦୟ ଯୁବକ । ଶୁକ୍ରବାର ବୋରିଗୁମ୍ମା ବ୍ଲକର ତାରି ଗାଁ ନକୁଳଗୁଡାର ଯୁବକ ଶ୍ରୀନିବାସ ମୁଦୁଲି ମାଣିକକୁ ବିବାହ କରିଛନ୍ତି । ଦଶମନ୍ତପୁର ଠାରେ ଥିବା ଆଇଡିଏସ ଶିଶୁଯତ୍ନ କେନ୍ଦ୍ର ଠାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଗହଣରେ ଏହି ବିବାହ ଅନୁଷ୍ଠିତ ହୋଇଯାଇଛି ।
ସାମାଜିକ, ଆର୍ଥିକ ଓ ସ୍ବାସ୍ଥ୍ୟଗତ ସଂଗ୍ରାମ କରି ଚାଲିଥିବା ମାଣିକ ଓ ତା ସହିତ ବାପା ମା ଙ୍କୁ ଝୁରୁଥିବା କୁନି ଭାଇ ଭଉଣୀଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ସିଡବ୍ଲ୍ୟୁସି ତଥା ଆଇଡିଏସ ଶିଶୁ ଯତ୍ନ କେନ୍ଦ୍ର ତିନିବର୍ଷ ପୂର୍ବେ ଆପଣାଇନେଇଥିଲା । ସେହି ଦିନଠାରୁ ମାଣିକ ଆଉ ପଛକୁ ଫେରିନାହିଁ । ଭବିଷ୍ୟତ ଜୀବନକୁ ସୁରକ୍ଷିତ କରି ଗଢି ତୋଳିବା ପାଈଁ ସେ ପାଠ ପଢିବା ସହିତ ସିଲାଇ ତଥା ରନ୍ଧା କାର୍ୟ୍ୟ ଆଇଡିଏସ ରେ ରହଣି କାଳରେ ଶିଖି ନେଇଛି । ଆଜି ଯେତେବେଳେ ଆଇଡିଏସ ର ସମ୍ପାଦକ ଦେବେନ୍ଦ୍ର ବେହେରା କନ୍ୟା ପିତା ର ଦାୟିତ୍ବ ସମ୍ପାଦନ କରିଥିଲେ । ଦଶମନ୍ତପୁର ଥାନା ମାମୁଁଘର ସାଜିଥିଲା ଓ କନ୍ୟା ବିଦା ହେଲାବେଳେ ସ୍ବୟଂ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଉପସ୍ଥିତ ରହିଥିଲେ। ମାଣିକର ହାତ ଧରି ଶ୍ରୀନିବାସ ଗୌରବାନ୍ବିତ ମନେ କରିଥିଲା । ମାଣିକ ତା ଜୀବନରେ ଅନେକ ଦୁଃଖ ସହି ସାରିଛି । ଏବେ ତାକୁ ଖୁସିରେ ରଖିବାର ଦାୟିତ୍ବ ବହନ କରିବାର ସଂକଳ୍ପ ନେଇଛି ଶ୍ରୀନିବାସ । ସଂସାରରେ କେହି ଯେ ଅନାଥ ନୁହଁନ୍ତି ଏହି ବାହାଘରରେ ଦେଖାଯାଇଥିବା ସାମାଜିକ ସ୍ପନ୍ଦନ ତାର ଏକ ଜ୍ବଳନ୍ତ ଉଦାହରଣ ।