(ପ୍ରିୟଦର୍ଶନୀ ସ୍ୱାଇଁ): ବିଶ୍ୱରେ ବିଭିନ୍ନ ଜାତିର ଭିନ୍ନ ଭିନ୍ନ ପରମ୍ପରା ରହିଛି । ତେବେ ଆଜି ବି ଅନେକ ଲୋକ ଅଛନ୍ତି ଯେଉଁମାନେ କି ପୁରୁଣା ପ୍ରଥାର ଅନୁକରଣ କରି ଆସୁଛନ୍ତି । କେତେକ ସ୍ଥାନରେ ଇଶ୍ୱରଙ୍କ ଉପରେ ପ୍ରଚଳିତ ହୋଇଥିବା ବେଳେ ଆଉ କିଛି ପୁର୍ବଜଙ୍କୁ ସମ୍ମାନ ଦେବାରେ ପାଳନ କରାଯାଏ । ଏପରି ଏକ ପ୍ରଥା ରହିଛି ହିମାଚଳପ୍ରଦେଶର କୁଲ୍ଲୁରପିଣି ଗାଁରେ ।
ଏଠାରେ କେଉଁ କାଳରୁ ବର୍ଷର ୫ଦିନ ଦମ୍ପତି ପରସ୍ପର ପାଇଁ ଅଚିହ୍ନା ହୋଇ ରହିବା ପରମ୍ପରା ପାଳିତ ହୋଇଆସୁଛି। କେହି କାହାରି ସହ କଥାବାର୍ତ୍ତା କରନ୍ତି ନାହିଁ କି ହସଖୁସି ହୁଅନ୍ତି ନାହିଁ । ଏପରିକି ମହିଳାମାନେ ଗୋଟିଏ ବସ୍ତ୍ରକୁ ୫ଦିନ ଯାଏ ପରିବର୍ତ୍ତନ କରୁ ନ ଥିବାବେଳେ ପୁରୁଷମାନେ ନିଶାଦ୍ରବ୍ୟ ସେବନଠୁ ଦୂରେଇ ରହିଥାନ୍ତି। ୧୭ରୁ ୨୧ ଅଗଷ୍ଟ ପର୍ୟ୍ୟନ୍ତ ଏହି ପରମ୍ପରା ପାଳନ କରାଯାଏ। ବିଶ୍ୱାସ ରହିଛି, ଏହି ପାଞ୍ଚ ଦିନରେ ଗାଁରେ ଆତଙ୍କ ସୃଷ୍ଟିକାରୀ ରାକ୍ଷସଙ୍କ ଦୌରାତ୍ମ୍ୟର ଅନ୍ତ କରିବାକୁ ପ୍ରତ୍ୟକ୍ଷ ଦେବତା ଲାହୁଆ ଏଠାରେ ଆବିର୍ଭାବ ହୋଇଥିଲେ। ଏହି ସମୟକୁ କାଳମାସ ବୋଲି କୁହାଯାଏ। ତେଣୁ ଲାହୁଆ ଦେବତାଙ୍କୁ ସମ୍ମାନ ଜଣାଇ ଗାଁରେ ପରିବେଶ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ରଖାଯାଏ।