ବଡଗାମରେ ଏନକାଉଣ୍ଟର ଜାରି ,୨ଆତଙ୍କବାଦୀ ନିହତ

(ଭୁବନେଶ୍ୱର /ରିପୋର୍ଟସଟୁଡେ): ଜମ୍ମୁ କଶ୍ମୀରର ବଡଗାମ ଜିଲ୍ଲାରେ ଶୁକ୍ରବାର ଭୋର ସକାଳୁ ସୁରକ୍ଷାବାହିନୀର ଯବାନମାନେ ଏନକାଉଣ୍ଟର କରିଛନ୍ତି । ଜିଲ୍ଲାର ସୁତସୁ ଗାଁ ନିକଟ ଜଙ୍ଗଲରେ ଆତଙ୍କବାଦୀ ଲୁଚି ରହିବା ନେଇ ସୁରକ୍ଷାବାହିନୀର ଯବାନମାନଙ୍କୁ ଗୁଇନ୍ଦା ସଂସ୍ଥା ପକ୍ଷରୁ ସୂଚନା ମିଳିଥିଲା । ଏହା ପରେ ସୁରକ୍ଷାବାହିନୀର ଯବାନମାନେ ଘଟଣାସ୍ଥଳରେ ପହଂଚି ଏନକାଉଣ୍ଟର କରିଥିଲେ । ବହୁ ସମୟ ଧରି ଏନକାଉଣ୍ଟର ଚାଲିବା ପରେ ଘଟଣାସ୍ଥଳରୁ ୨ଜଣ ଆତଙ୍କବାଦୀଙ୍କର ମୃତଦେହ ମିଳିଛି ।
ଏହି ଅଂଚଳରେ ଆହୁରି ୨ ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ସେନା ଅନୁମାନ କରୁଛି । ଏନକାଉଣ୍ଟରେ ୪ ଜଣ ଯବାନ ଆହତ ହୋଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି ।
ସୂଚନାଯୋଗ୍ୟ ବୁଧୁବାର-ଗୁରୁବାର ରାତି ସୋପିଆ ଜିଲ୍ଲାରେ ସୁରକ୍ଷାବାହିନୀର ଯବାନମାନେ ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀଙ୍କୁ ନିହତ କରିଥିଲେ । ସେନା, ସିଆରପିଏଫ ଏବଂ ଜମ୍ମୁ କଶ୍ମୀର ପୋଲିସର ଯବାନମାନେ ଅତର୍କିତ ଭାବରେ ପହଂଚି ଏନକାଉଣ୍ଟର ଆରମ୍ଭ କରି ଦେଇଥିଲେ । ଜମ୍ମୁ କଶ୍ମୀରର ବାନ୍ଦିପୋରା ଏବଂ ସୋପିଆ ଜିଲ୍ଲାରେ ମାର୍ଚ୍ଚ ୨୩ରେ ସୁରକ୍ଷାବଳ ସହିତ ଭିନ୍ନ ଭିନ୍ନ ଏନକାଉଣ୍ଟର ହୋଇଥିଲା । ଏଥିରେ ମୋଟ ୬ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଏଥିରେ ୨ ଜଣ ପାକିସ୍ତାନୀ ଆତଙ୍କବାଦୀ ସାମିଲ ଥିଲେ । ଏହି ଆତଙ୍କବାଦୀମାନେ ଜଣେ ୧୨ ବର୍ଷର ବାଳକକୁ ବନ୍ଧକ କରି ହତ୍ୟା କରିଥିଲେ । ଏନକାଉଣ୍ଟରରେ ମରିଥିବା ଆତଙ୍କବାଦୀଙ୍କ ସଂଖ୍ୟ ୧୦ରେ ପହଂଚିଛି ।