ପ୍ରବଳ ବର୍ଷାରେ ଭୂସ୍ଖଳନ: ୭ ମୃତ

ଥିରୁଭାନନ୍ଥପୂରମ: କେରଳରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ବର୍ଷା ଏପରି ହୋଇଛି କି କେରଳର ଇଡୁକ୍କୀ ଜିଲାର ରାଜମଲା ଅଞ୍ଚଳରେ ଭୂସ୍ଖଳନ ଘଟି ୭ ଜଣଙ୍କ ଜୀବନ ହାନୀ ଘଟିଛି ଆଉ ପ୍ରାୟ ୬୫ ଜଣ ମାଟି ତଳେ ଦବି ରହିଯାଇଥିଲେ । ମାଟି ତଳେ ଚାପି ହୋଇଯାଇଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ମାଟି ତଳେ ଅନ୍ୟ କେହି ଫଶି ରହିଛନ୍ତି କି ନାହିଁ ତାହା ଜାଣିବା ଲାଗି ଏନଡିଆରଏଫ ଏବଂ ବନ ବିଭାଗ ପକ୍ଷରୁ ଉଦ୍ଧାର କାର୍ୟ୍ୟ ଜାରି ରହିଛି। ଘଟଣା ସ୍ଥଳରେ ଉଦ୍ଧାର କାର୍ୟ୍ୟ ପାଇଁ ହେଲିକପ୍ଟର ପଠାଇବା ଲାଗି ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ବାୟୁସେନା ସହିତ ଯୋଗାଯୋଗ କରାଯାଇଥିବା ସୂଚନା ମିଳିଛି। କୁହାଯାଉଛି ଯେଉଁ ସ୍ଥାନରେ ଭୂସ୍ଖଳନ ଘଟିଛି ସେଠାରେ ୪ଟି ଶିବିରରେ ୮୦ରୁ ଅଧିକ ଶ୍ରମିକ ରହୁଥିଲେ। ତେଣୁ ମାଟିତଳେ ଆହୁରି ୬୫ ଜଣ ଫଶିଥିବା ଆଶଙ୍କା କରାଯାଉଛି।
ସ୍ବାସ୍ଥ୍ୟମନ୍ତ୍ରୀ କେ.କେ. ଶେଲଜା କହିଛନ୍ତି ଯେ, ଏକ ଭ୍ରାମ୍ୟମାଣ ମେଡିକାଲ ଟିମ୍‌ ଏବଂ ୧୫ଟି ଆମ୍ବୁଲାନ୍ସ ଇଡୁକ୍କୀ ପଠାଯାଇଛି। ଆବଶ୍ୟକ ପଡ଼ିଲେ ଆହୁରି ମେଡିକାଲ ଟିମ୍‌ ପଠାଯିବ। ହସ୍ପିଟାଲଗୁଡ଼ିକୁ ସତର୍କ ରହିବାକୁ କୁହାଯାଇଛି। ରାଜସ୍ବ ମନ୍ତ୍ରୀ ଇ. ଚନ୍ଦ୍ରଶେଖରନ୍‌ କହିଛନ୍ତି ଯେ, ଘଟଣାସ୍ଥଳରେ ୪ଟି ଶ୍ରମିକ ଶିବିର ଥିଲା। ସେଥିରେ ପ୍ରାୟ ୮୨ ଜଣ ରହୁଥିଲେ। କିନ୍ତୁ ଭୁସ୍ଖଳନ ସମୟରେ ସେଠାରେ କେତେଜଣ ଥିଲେ ତାହା ଜଣାପଡ଼ିନାହିଁ।