ପୋଲିସ ପ୍ରଶାସନ ଉପରୁ ଭରସା ତୁଟିଛି

ଥରେ ନଜର ପକାନ୍ତୁ ବବି ଦାସଙ୍କ ଏହି ଫେସବୁକ ପୋଷ୍ଟ ଉପରେ । ଯେଉଁ ପୋଷ୍ଟକୁ ଦେଖିବା ମାତ୍ରକେ ନାନା ଆଲୋଚନା ହେଉଛି । ତେବେ ସତରେ କଣ ବବି ଭୟଭୀତ ? ନା ଏହା ପଛରେ ତାଙ୍କର ଅନ୍ୟ କିଛି ନାଟକ ରହିଛି ? କ୍ଷମତାରେ ଥିବା ବେଳେ, ବବି ଯେ କେତେ କାହାକୁ ଭୟଭୀତ କରିଛନ୍ତି । ତାହାର କିଛି ହିସାବ ନାହିଁ । କାହାକୁ କ୍ଷମତା ବଳରେ ଜେଲର ଭୟ ଦେଖାଇ କଣ୍ଠରୋଧ କରିଛନ୍ତି ତ, ଆଉ କାହାର ପଲିଟିକାଲ କ୍ୟାରିୟରକୁ ଗୋଲ କରି ଦେବାର ଭୟ ଦେଖାଇଛନ୍ତି । ଆଉ ଯିଏ ବବିଙ୍କର ଏହି ନାଲି ଆଖିକୁ ଖାତିର କରୁନଥିଲା । ତା ପରିବାର ଉଜୁଡି ଯାଉଥିଲା । ହେଲେ ଏବେ ସେହି ବବି, ସତରେ କଣ ଏତେ ଭୟଭୀତ ?

ତେବେ ବବି ତାଙ୍କ ପୋଷ୍ଟରେ ଲେଖିଛନ୍ତି, ମୋ ଘର ପାଖରେ ବିଳମ୍ବିତ ରାତିରେ ହୋଇଥିବା ଗୁଳିକାଣ୍ଡକୁ ମୁଁ ନିନ୍ଦା କରୁଛି । ଏହା ଏକ ନୀତିହୀନ ସରକାରରେ ଭୁଷୁଡି ପଡିଥିବା, ଆଇନ ବ୍ୟବସ୍ଥାର ଫୁଙ୍ଗୁଳା ଚିତ୍ର । ଘର ପାଖରେ ଗୁଳି ଫୁଟିବା, ପରିବାର ଲୋକଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢାଇ ଦେଇଛି । ପୋଲିସ୍ ପ୍ରଶାସନ ଉପରୁ ଭରସା ତୁଟି ସାରିଛି । ସରକାର ଥାଇ ବି, ରାଜ୍ୟ ମୁରବୀ ଶୂନ୍ୟ ହୋଇ ପଡିଛି ।

ତେବେ ବବିଙ୍କ କଥାରେ ଯଦି ସତ୍ୟତା ରହିଛି, ତେବେ ଆମେ ମଧ୍ୟ ଏଭଳି ଘଟଣାକୁ ନିନ୍ଦା କରୁଛୁ । କିନ୍ତୁ ସେହି କ୍ରୀତଦାସଙ୍କୁ ଗୋଟିଏ ପ୍ରଶ୍ନ ଯେ, କ୍ଷମତାରେ ଥିବା ବେଳେ ତୁମେ ପୋଲିସକୁ ଯେଉଁ ଆହ୍ଗୁଳିରେ ନଚାଉଥିଲ । ଏବଂ ନିଜର ସ୍ୱାର୍ଥ ପାଇଁ ପୋଲିସକୁ ମନ ମୁତାବକ ବ୍ୟବହାର କରୁଥିଲ । ଗୋଟିଏ ଫୋନ କଲରେ ମାମଲାକୁ ରଫା ଦଫା କରୁଥିଲ । ପୀଡିତକୁ ନ୍ୟାୟ ପରିବର୍ତ୍ତେ, ତୁମେ ଅପରାଧୀଙ୍କୁ ଘଣ୍ଟ ଘୋଡାଉଥିଲ । ସେତେବେଳେ ଆଇନ ବ୍ୟାବସ୍ଥାକୁ କିଏ ପାରାଲାଇଜ୍ କରିଥିଲା ? ସେତେବେଳେ କଣ ଲୋକଙ୍କ ଭରସା ଭାଙ୍ଗି ନଥିଲା କି ? ଯାହାକୁ ଚାହୁଁଥିଲ ତାକୁ ପୋଲିସର ଧମକ ଦେଖାଇ ଆଇନ କାନୁନ୍ ଜାଲରେ ଛନ୍ଦି ପକାଉଥିଲ । ଯିଏ ମୁହଁ ଖୋଲୁଥିଲା, ତାଲିବାନୀଙ୍କ ଭଳି ଶାସନ ଚଲାଉଥିଲ । ଅପରାଧୀମାନଙ୍କୁ ପାଖରେ ରଖି, ସେମାନଙ୍କୁ ମାସିକ ଦରମାରେ ପୋଶୁଥିଲ ।