(ଅଜିତ ସାହୁ/ଜଳେଶ୍ୱର): ଗାଁରୁ ପାଣି ନିଷ୍କାସନ ଦାବି କରି ତହସିଲଦାର, ବିଡ଼ିଓ, ଏନଡ଼ିଆରଏଫ ଟିମକୁ ଆଜି ଅଟକ ରଖିଛନ୍ତି ଗ୍ରାମବାସୀ । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକର ଜଳକା ନଦୀରେ ବନ୍ୟା ପାଇଁ ମଥାନି ପଞ୍ଚାୟତର ସାନଖୁଡି ଗାଁ ସହିତ ବହୁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ଶହ ଶହ ଏକର ଚାଷ ଜମି ନଷ୍ଟ ହେବାର ସମ୍ବାବନା ମଧ୍ୟ ରହିଛି । ମଥାନି ପଞ୍ଚାୟତର ୧୫୦ରୁ ଅଧିକ ପରିବାର ଏବେ ପାଣି ଘେରରେ ରହିଛନ୍ତି। ଦୀର୍ଘ ଦିନ ଧରି ଗାଁରୁ ପାଣି ନିଷ୍କାସନ ପାଇଁ ବାରମ୍ବାର ଦାବି ହୋଇଆସୁଥିଲେ ବି କୌଣସି ସୁଫଳ ମିଳିନଥିଲା। ତେବେ ଆଜି ବନ୍ୟା ସ୍ଥିତି ତଦାରଖ ପାଇଁ ବସ୍ତା ତହସିଲଦାର, ବିଡ଼ିଓ ଓ ଏନଡିଆରଏଫ ଟିମ ପହଞ୍ଚିଥିବା ବେଳେ ମଥାନି ପଞ୍ଚାୟତର ୧ ନମ୍ବର, ୨ ନମ୍ବର, ୩ ନମ୍ବର ଓ ୪ ନମ୍ବର ୱାର୍ଡ ବାସିନ୍ଦାମାନେ ରାସ୍ତା ଉପରେ କୋଡି, କୋଦାଳ ରଖି ରାସ୍ତା ଅବରୋଧ କରିଥିଲେ । ଏହାସହ ଦୀର୍ଘ ସମୟ ଧରି ସରକାରୀ ଅଧିକାରୀଙ୍କୁ ଅଟକ ରଖିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ସ୍ଥିତି ଏଯାଏ ଉତ୍ତେଜନାତ୍ମକ ରହିଥିବା ଜଣାପଡିଛି । ସରକାରୀ ଅଧିକାରୀମାନେ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ସହ ଆଲୋଚନା ଜାରି ରଖିଥିବା ସୂଚନା ମିଳିଛି । ପାଣି ନିଷ୍କାସନ ହୋଇ ନପାରି ଘରେ ବନ୍ୟା ପାଣି ପସିଯିବାରୁ ଗ୍ରାମବାସୀମାନେ ପ୍ରଶାସନକୁ ଦାୟୀ ଠହରାଇବା ସହ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନ୍ୟପଟେ ଆଜି ଘଟଣାସ୍ଥଳ ପରିଦର୍ଶନରେ ଯାଇଥିବା ସରକାରୀ ଅଧିକାରୀମାନେ ଭିନ୍ନ ମତ ରଖିଛନ୍ତି ।