(ରିିପୋର୍ଟସ ଟୁଡ଼େ): ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ତଥା ପାକିସ୍ତାନୀ ସାମାଜିକ କର୍ମୀ ମଲାଲା ୟୁସଫ୍ଜାଇଙ୍କ ନୂଆ ପୁସ୍ତକ ବୁଧବାର ରିଲିଜ ହେଉଛି। ସେ ବିଶ୍ୱର ବିଭିନ୍ନ ଶରଣାର୍ଥୀ ଶିବିର ପରିଦର୍ଶନ କରି ବିଶେଷକରି ବାଳିକା ଓ ମହିଳା ଶରଣାର୍ଥୀଙ୍କ ସହ ଭାବବିନିମୟ କରି ଯେଉଁ ଅନୁଭୂତି ହାସଲ କରିଛନ୍ତି ତାହା ଏହି ପୁସ୍ତକରେ ବର୍ଣ୍ଣିତ ହୋଇଛି। ଉକ୍ତ ପୁସ୍ତକର ନାମ ‘ଉଇ ଆର୍ ଡିସ୍ପ୍ଲେସ୍ଡ’ (ଆମେ ବିସ୍ଥାପିତ) ରଖାଯାଇଛି।
ମଲାଲା ବିଭିନ୍ନ ଶରଣାର୍ଥୀ ଶିବିର ପରିଦର୍ଶନ କରି ନିଜ ବିସ୍ଥାପନ ବିଷୟ ସ୍ମରଣ କରିଛନ୍ତି। ପ୍ରଥମକରି ସେ ନିଜେ ଜଣେ ବିସ୍ଥାପିତ ବ୍ୟକ୍ତି। ପାକିସ୍ତାନର ଏହି ତରୁଣୀ ସ୍କୁଲରେ ପାଠ ପଢ଼ୁଥିବା ସମୟରେ ବାଳିକା ଶିକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟିକରିବାରୁ ଆକ୍ରମଣର ଶିକାର ହୋଇଥିଲେ। ମୃତ୍ୟୁମୁଖରୁ ବର୍ତ୍ତିଯାଇଥିବା ମଲାଲାଙ୍କୁ ନିଜ ଦେଶରୁ ବିସ୍ଥାପିତ ହେବାକୁ ପଡ଼ିଥିଲା। ବର୍ତ୍ତମାନ ଅନ୍ତର୍ଜାତୀୟ ସାମାଜିକ କର୍ମୀ ପାଲଟି ଯାଇଥିବାରୁ ସେ ବିଶ୍ୱର ଯେ କୌଣସି ସ୍ଥାନକୁ ଯାଇପାରୁଛନ୍ତି। କିନ୍ତୁ ତାଙ୍କର ପ୍ରିୟ ଜନ୍ମଭୂମିକୁ ସେ ମୁକ୍ତଭାବରେ ଯାଇପାରୁନାହାନ୍ତି। ମଲାଲା ବିଭିନ୍ନ ଶରଣାର୍ଥୀ ଶିବିରରେ ଅନେକ ବାଳିକାଙ୍କୁ ଭେଟିଛନ୍ତି, ଯେଉଁମାନେ ନିଜର ଦେଶ, ସମ୍ପ୍ରଦାୟ ଏବଂ ଆତ୍ମୀୟସ୍ବଜନଙ୍କୁ ହରାଇ ଦୁନିଆରେ ଏକା ଏକା ଜୀବନ ବଞ୍ଚୁଛନ୍ତି। ୨୪୪ ପୃଷ୍ଠା ବିଶିଷ୍ଟ ଏହି ପୁସ୍ତକରେ ୮ ପେଜ୍ର ରଙ୍ଗୀନ ଫଟୋ ଅନ୍ତର୍ଭୁକ୍ତ କରାଯାଇଛି। ମୂଲ୍ୟ ରଖାଯାଇଛି ୩୯୯ ଟଙ୍କା।