(ଖୁଣ୍ଟା: ଦୀପକ ମିଶ୍ର ): ଖୁଣ୍ଟା ବ୍ଲକର ୧୯ ଜଣ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ମୟୂରଭଞ୍ଜ ଜିଲାରେ ବିଭିନ୍ନ ବ୍ଲକରେ କାର୍ୟ୍ୟରତ ଥିବା ୭୫୪ ଜଣ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିୟମିତ କରାଯାଇଛି। ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣ ଶିକ୍ଷା ବିଭାଗର ଚିଠିନଂ ୫୫୨୮/ଏସଏମଇ/୦୭-୦୩-୨୦୧୯ ଓ ମୟୂରଭଞ୍ଜ ଜିଲାପାଳ ତଥା ଜିଲା ପରିଷଦ କାର୍ୟ୍ୟନିର୍ବାହୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ବସିଥିବା ଜିଲା କମିଟିରେ ନିୟମିତ କରିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି। କମିଟିର ଅନୁମୋଦନ ପରେ ଖୁଣ୍ଟା ବ୍ଲକ ଶିକ୍ଷା କାର୍ୟ୍ୟାଳୟ ଦ୍ୱାରା ଶୁକ୍ରବାର ଜାରି କରାଯାଇଥିବା ନିର୍ଦ୍ଦେଶନାମା ୧୦୪୮/୦୩-୧୦-୨୦୧୯ ଅନୁଯାୟୀ ଖୁଣ୍ଟା ବ୍ଲକରେ ଠିକା ନିଯୁକ୍ତି ପାଇଥିବା ୨୦୧୨ ବ୍ୟାଚର ୧୯ ଜଣ ଶିକ୍ଷା ସହାୟକଙ୍କୁ ନିୟମିତ କରାଯାଇଛି।
୬ ବର୍ଷ ଚାକିରୀ ପରେ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ ମାନ୍ୟତା ପ୍ରଦାନ କରାଯିବାକୁ ନିୟମ ରହିଥିବା ବେଳେ ବ୍ଲକର ୧୯ଜଣ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିର୍ଦ୍ଧାରୀତ ସମୟ ସୀମାର ୧୧ ମାସ ପରେ ନିୟମିତ କରାଯାଇଛି। ତେବେ ପିଛିଲା ତାରିଖରୁ ନିୟମିତ ମାନ୍ୟତା ଲାଗୁ ହେବ ବୋଲି ଏବିଇଓ ବୃନ୍ଦାବନ ମାରାଣ୍ଡି କହିଛନ୍ତି। ନିୟମିତ ମାନ୍ୟତା ପାଇବା ପରେ ସମ୍ପୃକ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପକ୍ଷରୁ ସଂଗଠନର ଜିଲା ଉପସଭାପତି ଲବଘନ ବେହେରା, ବ୍ଲକ ସଭାପତି ଅରୁଣ କୁମାର ମହାନ୍ତ, ସମ୍ପାଦକ ବିନୟ କୁମାର ଦାସ ବିଭାଗୀୟ ଅଧିକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।