ନବୀନଙ୍କ ନାମାଙ୍କନ ପତ୍ରରେ ତ୍ରୁଟି

( ଭୁବନେଶ୍ୱର / ରିପୋର୍ଟସଟୁଡେ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ନାମାଙ୍କନ ପତ୍ରରେ ସାଙ୍ଘାତିକ ତ୍ରୁଟି । ସେ ତଥ୍ୟ ଲୁଚାଇଛନ୍ତି । ଆଜି ଏନେଇ ଅଭିଯୋଗ କରିଛନ୍ତି ହିଂଜିଳିରୁ ନବୀନଙ୍କ ବିରୋଧରେ ଲଢୁଥିବା ବିଜେପି ପ୍ରାର୍ଥୀ ପିତାମ୍ବର ଆଚାର୍ୟ୍ୟ । ଏହାକୁ ନେଇ ସେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ପିତାମ୍ବର କହିଛନ୍ତି ଯେ, ନବୀନ ପ୍ରାର୍ଥୀପତ୍ରରେ ଅନେକ ତଥ୍ୟ ଲୁଚାଇଛନ୍ତି । ତାଙ୍କୁ କୋଇଲା ଦୁର୍ନୀତିରେ ସିବିଆଇ ଜେରା ହୋଇଛି । ଏହି ତଥ୍ୟ ଲୁଚାଯାଇଛି । ଏପରିକି ସେ ଗୋଟିଏ ସ୍ଥାନରେ ଦସ୍ତଖତ ମଧ୍ୟ କରିନାହାନ୍ତି । ତାଙ୍କ ପ୍ରାର୍ଥୀ ପତ୍ରକୁ ନାକଚ କରାଯାଉ । ଏଥି ନିମନ୍ତେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଦାବି କରାଯାଇଛି । ଯଦି ଏଠାରେ କାଏମ ରହେ ତେବେ କୋର୍ଟରେ ଏହା ନିଶ୍ଚିତ ନାକଚ ହେବ ବୋଲି ପିତାମ୍ବର କହିଛନ୍ତି ।

କିନ୍ତୁ ଏହାକୁ ରିଟର୍ଣ୍ଣିଂ ଅଫିସର ଖଣ୍ଡନ କରିଛନ୍ତି । ସନ୍ଦେହ ଥିଲେ କୋର୍ଟରେ ଆଶ୍ରୟ ନେବାକୁ ସେ କହିଛନ୍ତି ।