(ସରୋଜ କୁମାର ରାଉତ/ ଭୁବନେଶ୍ୱର): ନବାଗତଙ୍କର ଫିଲ୍ମରୁ ଆରମ୍ଭ କରି ଟିଭି ଶୋ’ ପର୍ୟ୍ୟନ୍ତ ଲଞ୍ଚ୍ କରୁଥିବା ଫିଲ୍ମ ଇଣ୍ଡଷ୍ଟ୍ରିର ସୁଲତାନ ସଲମାନ ଖାନ ଏବେ ଏକ ଟିଭି ଶୋ’ ପ୍ରଯୋଜନା କରିବେ। ଏହି ଶୋ’ଟି ହେଉଛି ଲୋକପ୍ରିୟ ଡ୍ୟାନ୍ସ ରିଆଲିଟି ଶୋ’ ‘ନଚ୍ ବଲିଏ’। ଯାହାର ନବମ ସିଜିନ୍ ସଲମାନ ପ୍ରୟୋଜନା କରିବେ। ସୂଚନା ଅନୁଯାୟୀ ସଲମାନ ଏଥର ‘ନଚ୍ ବଲିଏ’ରେ ଏକ୍ସ କପଲ୍ ଅର୍ଥାତ୍ ପରସ୍ପରଠୁ ଅଲଗା ହୋଇଯାଇଥିବା ଦମ୍ପତ୍ତିଙ୍କୁ ଆଣିଛନ୍ତି। ନିର୍ମାତା ଏବେ ଯାଏ ୫ଟି ଯୋଡ଼ି ବାଛିସାରିଲେଣି। ସୂଚନା ଅନୁଯାୟୀ ଏହି ୫ଟି ଯୋଡ଼ି ମଧ୍ୟରୁ ୩ଟି ହେଉଛି ଏକ୍ସ କପଲ୍ଙ୍କ ଯୋଡ଼ି। ଖୁବ୍ ଶୀଘ୍ର ଏହି ଶୋ’ର ପ୍ରୋମୋ ଶୁଟ୍ ହେବ। ୩ଟି ଏକ୍ସ କପଲ ଯୋଡି ହେଉଛନ୍ତି ଏଲି ଗୋନି ଓ ନତାଶା ଷ୍ଟେକୋଭିକ୍, ମଧୂରିମା ତୁଲି ଓ ବିଶାଲ୍ ଆଦିତ୍ୟ ସିଂହ ଏବଂ ଅନୁଜ ସଚଦେବ୍ ଓ ଉର୍ବସୀ ଢୋଲକିୟା। ସେହିଭଳି ଅନ୍ୟ ଦୁଇ ମ୍ୟାରେଡ୍ କପଲ ହେଲେ ପ୍ରିନ୍ସ ନରୁଲା ଓ ୟୁଭିକା ଚୌଧରୀ ଏବଂ ସମ୍ଭାବନା ସେଠ୍ ଓ ଅଭିନାସ ଦ୍ୱିବେଦୀ।
ସଲମାନ ଶୋ’କୁ ପ୍ରଡ୍ୟୁସ କରିବା ସହ ଓପନିଂ ସେରିମନିରେ ସମସ୍ତ ପ୍ରତିଯୋଗୀଙ୍କର ଦର୍ଶକଙ୍କ ସହ ପରିଚୟ କରାଉଥିବା ଦେଖିବାକୁ ମିଳିବ। ଠିକ୍ ସେହିପରି ଯେପରି ସେ ବିଗ୍ବସ୍ ପ୍ରତୀଯୋଗୀଙ୍କର ଘୋଷଣା କରନ୍ତି। କେବଳ ଏତିକି ନୁହେଁ ସଲମାନ ଏହି କପଲମାନଙ୍କ ସମ୍ପର୍କ ବିଷୟରେ ନିଜ ପ୍ରତିକ୍ରିୟା ମଧ୍ୟ ଦେବେ। ସୂଚନା ଅନୁଯାୟୀ ଏଥର ଶୋ’ର ଜଜ୍ ପ୍ୟାନେଲ ପାଇଁ ଅନେକ ବଲିଉଡ ଷ୍ଟାରଙ୍କୁ ଅଫର୍ କରାଯାଇଛି। ଯେଉଁଥିରେ କ୍ୟଟ୍ରିନା କୈଫ୍, ଶାହିଦ୍ କପୁର ଓ ତାଙ୍କ ପତ୍ନୀ ମୀରା ରାଜପୁତ୍, ରବିନା ଟଣ୍ଡନ, ଟାଇଗର ସ୍ରଫ୍ ଓ ତାଙ୍କ ଗର୍ଲଫ୍ରେଣ୍ଡ ଦିଶା ପାଟନୀ ସାମିଲ ଅଛନ୍ତି। ହେଲେ ଏବେ ଯାଏଁ କେହି ମଧ୍ୟ ଅଫିସିଆଲ ଏହାକୁ କନଫର୍ମ କରି ନାହାନ୍ତି।