ନକ୍ସଲଙ୍କ ଯୋଜନା ପଣ୍ଡ , ଦୁଇ ନକ୍ସଲ ଗିରଫ

(ମଧୁସ୍ମିତା ତ୍ରିପାଠୀ / ରିପୋର୍ଟସ ଟୁଡେ): ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ କରାଇକେଲା ଥାନା ଅଞ୍ଚଳରୁ କମ୍ବିଂ ଅପରେସନ୍‌ ବେଳେ ଯବାନମାନଙ୍କ ଦ୍ୱାରା ସିଲିଣ୍ଡର ବୋମା ଉଦ୍ଧାର କରାଯାଇଥିବା ବେଳେ ଏହି ଘଟଣାର ୨୪ ଘଣ୍ଟା ପରେ ଗତକାଲି ସିଆର୍‌ପିଏଫ୍‌ ଯବାନମାନେ କରାଇକେଲା ଥାନା ଅନ୍ତର୍ଗତ ରଞ୍ଜଡାକୋଚା ପାହାଡ଼ ନିକଟରୁ ଦୁଇ ନକ୍ସଲଙ୍କୁ ଗିରଫ କରିଥିବା ଜଣାଯାଇଛି । ଗିରଫ ନକ୍ସଲମାନେ ହେଲେ ବିଜୟ ପ୍ରଧାନ, ଲୋଦୋଡ଼ିହିର ଦଶରଥ ମହାତୋ । ସେମାନଙ୍କ ନିକଟରୁ ୫ ଲକ୍ଷ ୨୦ ହଜାର ଟଙ୍କା ସହ ବାଇକ୍‌, ମାଓ ପୋଷ୍ଟର ସମେତ ତିନିଟି ମୋବାଇଲ ଜବତ ହୋଇଛି । ସିଆର୍‌ପିଏଫ୍‌ ଯବାନଙ୍କୁ ଟାର୍ଗେଟ କରିବାକୁ ରଞ୍ଜଡାକୋଚା ପାହାଡ଼ ନିକଟରେ ବିଜୟ, ଦଶରଥଙ୍କ ନେତୃତ୍ବରେ କିଛି ନକ୍ସଲ ଏକାଠି ହୋଇଥିବା ସମ୍ପର୍କରେ ସୂଚନା ମିଳିଥିଲା।

ସୂଚନା ଆଧାରରେ ସ୍ଥାନୀୟ ପୁଲିସ ଓ ସିଆର୍‌ପିଏଫ୍‌ ଯବାନମାନେ ପାହାଡ଼କୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲେ । ଯବାନମାନଙ୍କୁ ଦେଖି ନକ୍ସଲମାନେ ସେଠାରୁ ଖସିଯିବାକୁ ଦୌଡ଼ିବାକୁ ଲାଗିଥିଲେ। ଯବାନମାନେ ସେମାନଙ୍କ ପିଛା କରି ବିଜୟ ଓ ଦଶରଥକୁ କାବୁ କରିଥିଲେ । ଅନ୍ୟମାନେ ସେଠାରୁ ଖସିପଳାଇବାରେ ସକ୍ଷମ ହୋଇଥିଲେ । ସଙ୍ଗଠନକୁ ମଜବୁତ କରିବା ପାଇଁ ଠିକାଦାରଙ୍କଠୁ ବଟି ଆଦାୟ ଓ ସିଆର୍‌ପିଏଫ୍ ଯବାନଙ୍କୁ ଟାର୍ଗେଟ କରିବାକୁ ଏଭଳି ଯୋଜନା କରୁଥିବା ପୁଲିସ କହିଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କମ୍ବିଂ ଅପରେସନ୍‌କୁ ଯୋଜନା କରାଯିବା ସହ ନକ୍ସଲଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଇଛି।