ଧୋକେବାଜ ପ୍ରେମିକା

(ଅନୁସ୍ୱୟା)ଭୁବନେଶ୍ୱର: ପ୍ରେମ ଶାଶ୍ୱତ,ଚିରନ୍ତନ । ପ୍ରେମ ପାଇଁ ପ୍ରେମୀଯୁଗଳ ସବୁ କିଛି କରିବାକୁ ପ୍ରସ୍ତୁତ ରହିଥାଆନ୍ତି । ପରସ୍ପରକୁ ନିଜର ଜୀବନ ସାଥି କରିବା ପାଇଁ ସେ ସମାଜର କୌଣସି ନିୟମ କାନୁନ ମଧ୍ୟ ମାନି ନଥାଆନ୍ତି । କିନ୍ତୁ ଆଜିର ଯୁଗରେ କାହା ପାଇଁ ମନୋରଞ୍ଜନ ତ କାହା ପାଇଁ ଜୀବନ ପାଲିଟିଛି ।
ନୂତନ ମୋଟର ଭେଇକିଲ ଆକ୍ଟ ଲାଗୁ ହେବା ପରେ ମଙ୍ଗଳବାର ଦିନ ସିଆରପି ଛକରେ ସଂଧ୍ୟା ପ୍ରାୟ ୮ ସମୟରେ ଟ୍ରାଫିକରେ ଜବରଦସ୍ତ ଚେକିଂ ଚାଲିଥିଲା । ଏହି ସମୟରେ ଧରାପଡିଲେ ସେହି ରାସ୍ତା ଦେଇ ଯାଉଥିବା ଏକ ପ୍ରେମିଯୁଗଳ । ହେଲମେଟ ପିନ୍ଧି ନଥିବା ଯୋଗୁ ପୁଲିସ ଫାଇନ କାଟିବାକୁ କହିଲା । ହେଲେ ପ୍ରେମିକ ମହାଶୟଙ୍କ ପାଖରେ ଟଙ୍କାଟେ ବି ନଥିଲା । ତେଣୁ ସେ ପୋଲିସକୁ ବହୁ କାକୁତି ମିନତି ହେଲା । କିନ୍ତୁ ଅତିରିକ୍ତ କମିଶନରଙ୍କ ଉପସ୍ଥିତି ଯୋଗୁ ପୁଲିସ ବି ପ୍ରେମିକର କଥା ଶୁଣିଲା ନାହିଁ । ନିରାଶ ହୋଇପଡିଥିଲା ପ୍ରେମିକ । ଶେଷରେ ପ୍ରେମିକାକୁ ଟଙ୍କା ମାଗିଥିଲା । ହେଲେ ପ୍ରେମିକା ପାଖରେ ପଇସା ନାହିଁ, ହଷ୍ଟେଲ ଭଡା ଦେବାକୁ ଅଛି ଆଦି ବହୁ ବାହାନା କରିଥିଲା ।
ଶେଷରେ ପ୍ରେମିକ ସାଙ୍ଗମାନଙ୍କୁ ଫୋନ କରି ଟଙ୍କା ନେଇ ଆସିବାକୁ ଅନୁରୋଧ କରିଥିଲା । କିନ୍ତୁ କୌଣସି ସାଙ୍ଗଠାରୁ କିଛି ସହାୟତା ମିଳିନଥିଲା । ଏସବୁ ଦେଖି ପ୍ରେମିକା ରାଗରେ ପଞ୍ଚମ । ପ୍ରେମିକା ଲଗାଇଲା କାହାକୁ ଫୋନ । କିଛି ସମୟରେ ଅନ୍ୟଜଣେ ପୁଅ ଆସି ପହଂଚିଯାଇଥିଲା । ଦେଖଣାହାରି ଭାବିଲେ ପ୍ରେମିକା ଟଙ୍କାର ଯୋଗାଡ କରିଦେଲା । କିନ୍ତୁ ସବୁ କଳ୍ପନାଜଳ୍ପନାକୁ ଭୁଲ ପ୍ରମାଣିତ କରି ପ୍ରେମିକା ଆସିଥିବା ପୁରୁଷ ବନ୍ଧୁ ଗାଡିରେ ବସି ସେଠାରୁ ଛୁ ମାରିଲା । ଏସବୁକୁ ଦେଖୁଥିବା ଉପସ୍ଥିତ ଲୋକଙ୍କ ମୁହଁରୁ ବାହାରିଯାଇଥିଲା, ୟାଙ୍କ ପ୍ରେମ ଭାଙ୍ଗିଦେଲା ଟ୍ରାଫିକ ନିୟମ।