ଧର୍ମାନୁଷ୍ଠାନ ଖୋଲିବା ପାଇଁ ହାଇକୋର୍ଟରେ ଯାଚିକା ଦାୟର

କଟକ: କୋଭିଡ -୧୯ର ମୁକାବିଲାକୁ ପାଇଁ ମାର୍ଚ୍ଚ ୨୪ ତାରିଖରୁ ସମସ୍ତ ମଲ, ହୋଟେଲ, ବ୍ୟବସାୟ ପ୍ରତିଷ୍ଠାନ, ଧର୍ମାନୁଷ୍ଠାନ ବନ୍ଦ କରାଯାଇଥିଲା । ଏହା ମଧ୍ୟରେ ଧୀରେ ଧୀରେ ସରକାର କଟକଣାରେ ସାମାନ୍ୟ କୋହଳ କରିଛନ୍ତି । ସାମାଜିକ ଦୂରତ୍ୱ, ମାସ୍କ ପରିଧାନ ଓ ହାତ ସାନିଟାଇଜେସନକୁ ପ୍ରାଧାନ୍ୟ ଦେଇ ମଲ, ଜିମ, ପାର୍ଲର, ହୋଟେଲ ଖୋଲିଲାଣି । କିନ୍ତୁ ରାଜ୍ୟ ସରକାର ଧର୍ମାନୁଷ୍ଠା ଖୋଲିବାକୁ ଅନୁମତି ଦେଉନାହାଁନ୍ତି। ସରକାରଙ୍କ ଏଭଳି କଟକଣା ସମ୍ବିଧାନ ବିରୋଧୀ। ତେଣୁ ପୁରୀ ଶ୍ରୀମନ୍ଦିର ସମେତ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ପାଇଁ ହାଇକୋର୍ଟରେ ଆଉ ଏକ ମାମଲା ରୁଜୁ କରାଯାଇଛି। ସାମାଜିକ କର୍ମୀ ଜୟନ୍ତ ବଳ ଏହି ମାମଲା ରୁଜୁ କରିଛନ୍ତି। ରାଜ୍ୟରେ ମଲ, ଜିମ, ପାର୍ଲର ସବୁ ଖୋଲିବା ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । ଇତିମଧ୍ୟରେ ମୋ ବସ ସେବା ବି ଆରମ୍ଭ ହୋଇଛି। ତେବେ ଧର୍ମାନୁଷ୍ଠାନ ଖୋଲିବା ଉପରେ କାହିଁକି କଟକଣା ଜାରି କରାଯାଇଛି ବୋଲି ଆବେଦନକାରୀ ପ୍ରଶ୍ନ କରିଛନ୍ତି । ତେଣୁ ହାଇକୋର୍ଟ ଏହାକୁ ବିଚାର ପାଇଁ ଗ୍ରହଣ କରି ସରକାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାପାଇଁ ଅନୁମତି ଦେବା ନେଇ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି ।