ଭୁବନେଶ୍ୱର: ଆଜି ରାଜ୍ୟର ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାଦ୍ବାରା ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ସହରାଞ୍ଚଳର ଗରିବ ଲୋକ, ଆଦିମ ଜନଜାତି, ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ, ଏନ୍.ଆର.ଇ.ଜି.ଏ ଶ୍ରମିକ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ସମସ୍ତେ ଉପକୃତ ହେବେ ।
କାଳିଆ ଯୋଜନାରେ ରାଜ୍ୟର ୧୭ ଲକ୍ଷ ୮୩ ହଜାର ଭୂମିହୀନ ଚାଷୀ ପରିବାରଙ୍କୁ ପ୍ରତି ହିତାଧିକାରୀ ପିଚ୍ଛା ୧୦୦୦ ଟଙ୍କା ସ୍ବତନ୍ତ୍ର ସହାୟତା ଦିଆଯିବ । କାଳିଆ ଯୋଜନାରେ ସବୁ ଭୂମିହୀନ ଚାଷୀ ପରିବାରକୁ ମଧ୍ୟ ୩ଟି କିସ୍ତିରେ ୨୦୭ କୋଟି ଟଙ୍କା ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି କୋଭିଡ ଲକ୍ଡାଉନ ସମୟରେ ସହରାଂଚଳରେ ରହୁଥିବା ଗରିବ ଲୋକମାନଙ୍କୁ ରୋଜଗାର ଯୋଗାଇବା ପାଇଁ ରାଜ୍ୟ ସରକାର ମୁକ୍ତା ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏହି ଯୋଜନାରେ ରାଜ୍ୟର ୧୧୪ଟି ପୌରସଂସ୍ଥା ମାନଙ୍କରେ ରହୁଥିବା ଗରିବ ଲୋକଙ୍କୁ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ରୋଜଗାର ଯୋଗାଇବା ପାଇଁ ୨୬୦ କୋଟି ଟଙ୍କାର କାମ ଯୋଗାଇ ଦିଆଯିବ । ଏନଆରଇଜିଏସ ଯୋଜନାରେ କାମ କରୁଥିବା ଶ୍ରମିକ ମାନଙ୍କୁ ସେମାନଙ୍କର ଦୈନିକ ମଜୁରୀ ବ୍ୟତୀତ ପ୍ରତିଦିନ ଅଧିକ ୫୦ ଟଙ୍କା ମୁଖ୍ୟମନ୍ତ୍ରୀ ଙ୍କ ସହାୟତା ଭାବରେ ଦିଆଯିବ । ଅପ୍ରେଲ ୨୧ରୁ ଜୁନ୍ ୨୧ ମଧ୍ୟରେ ଏହି ବର୍ଦ୍ଧିତ ମଜୁରୀ ବାବଦକୁ ରାଜ୍ୟ ସରକାର ୩୦୦ କୋଟି ଟଙ୍କା ବହନ କରିବେ । ସୂଚନାଯୋଗ୍ୟ ଯେ ଏହି ସମୟ ମଧ୍ୟରେ ଏନଆରଇଜିଏସ ଯୋଜନାରେ ୬ କୋଟି ମାନବ ଦିବସ ସୃଷ୍ଟି କରାଯାଇଛି ।