ଜିଲ୍ଲା ସ୍ତରୀୟ ସଡ଼କ ନିରାପତ୍ତା କମିଟି ବୈଠକ

(ରଜନୀକାନ୍ତ ପାତ୍ର / ଗଞ୍ଜାମ): ଜିଲ୍ଲାସ୍ତରୀୟ ରାସ୍ତା ନିରାପତ୍ତା କମିଟି ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ସୀମା ମଧ୍ୟରେ ରହିଥିବା ଗ୍ରାମ୍ୟ ରାସ୍ତାଠାରୁ ଆରମ୍ଭ କରି ଜାତୀୟ ରାଜପଥ ପର୍ୟ୍ୟନ୍ତ ରାସ୍ତାର ଉନ୍ନତିକରଣ ଓ ବର୍ଷାଜନିତ କ୍ଷୟକ୍ଷତିର ମରାମତି ଦିଗରେ ଗୁରୁତ୍ବ ଆରୋପ କରାଯାଇଥିଲା । କୋଭିଡ ସମୟରେ କରାଯାଇଥିବା ସଟଡାଉନ, ଲକଡାଉନ ଯୋଗୁଁ ଯାନ ବାହନ ଚଳାଚଳ ବନ୍ଦ ଥିଲା । ଏଣୁ ସେହି ସମୟରେ ରାସ୍ତା ଦୁର୍ଘଟଣା ପ୍ରାୟତଃ ହୋଇ ନଥିଲା । ଯାନ ବାହନ ଚଳାଚଳ ହେବାପରେ ଦୁର୍ଘଟଣା ଘଟୁଥିବା ନଜରକୁ ଆସୁଛି । ଜାତୀୟ ରାଜପଥ ଓ ପାର୍ଶ୍ବ ରାସ୍ତା ଗୁଡିକରେ ରେଡିୟମ୍ ସତର୍କତା ସୂଚକ ଏବଂ ରାତ୍ର ସମୟରେ ଠିକ ରୂପେ ବ୍ଲିଙ୍କି କରୁଥିବା ସୂଚକମାନ ଲଗାଯିବା ଉପରେ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ । ରାସ୍ତାରେ ଆମ୍ବୁଲାନ୍ସ ଚଳାଚଳ ସମୟରେ ଆମ୍ବୁଲାନ୍ସରେ ଥିବା ରୋଗୀ ମାନଙ୍କର ସୁରକ୍ଷା ଦୃଷ୍ଟିରୁ ହଟାଯାଇଥିବା ହମ୍ପସ ଗୁଡିକରେ ସୂଚନା ଓ ସନ୍ଦେଶ ଫଳକ ଲଗାଯାଉ । ରାସ୍ତାରେ ଚଳ ପ୍ରଚଳ କରୁଥିବା ଗାଈ ମାନଙ୍କ ଦ୍ବାରା ଘଟୁଥିବା ଦୁର୍ଘଟଣାକୁ ରୋକିବା ନେଇ ଗାଈ ମାଲିକ ମାନଙ୍କୁ ମାଇକ ଦ୍ବାରା ପ୍ରଚାର କରି ସତର୍କ କରାଯାଉ । ଯଦି ସେମାନେ ତାଙ୍କ ଗୃହପାଳିତ ପଶୁଙ୍କୁ ରାସ୍ତାରେ ଛାଡନ୍ତି ତେବେ ସେ ଗାଈଗୁଡିକୁ ଧରି ନିଆଯିବ ଏବଂ ସେଗୁଡିକ ପାଳନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ । ରାସ୍ତାକୁ ଗାଈମାନେ ଯେପରି ଯିବେନାହିଁ ସେଥି ସକାଶେ କାଓ କ୍ୟାଚେସ ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ଏବଂ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ଏବଂ ଡି.ଆର.ଡି.ଏ ଛକର ଜାତୀୟ ରାଜପଥରେ ଅଣ୍ଡର ପାସେସ ନିର୍ମାଣ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଏନ.ଏଚ.ଏ. ଆଇ. ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଜଣାଇ ଦିଆଯାଇଥିଲା । ଅନାବଶ୍ୟକ ହମ୍ପସ ଗୁଡିକୁ ଉଠାଇ ବ୍ଲିଙ୍କିଙ୍ଗ ସ୍ଥାପନ କରିବାନେଇ ଜଣାଇ ଦିଆଯାଇଥିଲା । ଜାତୀୟ ରାଜପଥରେ ପାର୍କିଂ ସ୍ଥଳ ବ୍ୟତୀତ ଅନ୍ୟ ସ୍ଥାନରେ ଯେପରି ଯାନବାହନ ଗୁଡିକ ରହିବ ନାହିଁ ସେ ଦିଗରେ ପଦକ୍ଷେପ ନେବାକୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ କୁହାଯାଇଥିଲା ।
ଯାତ୍ରୀବାହୀ ବସ ଗୁଡିକରେ ଯାତ୍ରୀ ମାନଙ୍କର ସୁରକ୍ଷା ଦୃଷ୍ଟିରୁ ବସ ମାଲିକ ମାନଙ୍କୁ ପୂର୍ବରୁ ଦିଆଯାଇଥିବା ସୁରକ୍ଷା ନିୟମ ପାଳନ କରୁ ନଥିବା ଜିଲ୍ଲାପାଳ ଜଣାଇଥିଲେ । ଏଣୁ ବସ ମାଲିକ ସଂଘର ସଭାପତିଙ୍କୁ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି । ବସରେ ଅକ୍ସିମିଟର ରହିବ, ମାସ୍କ ନାହିଁ ତ ବସରେ ଉଠିପାରିବେ ନାହିଁ ବୋର୍ଡ ଲଗାଇବେ, ଯାତ୍ରୀମାନେ ମାସ୍କ ପିନ୍ଧିବା ସୁନିଶ୍ଚିତ କରାଇବେ, ବସ ଗୁଡିକୁ ସାନିଟାଇଜ କରାଇବେ, ବସରେ ଅଧିକ ଯାତ୍ରୀ ନେବେ ନାହିଁ ଇତ୍ୟାଦି କୁହାଯାଇଛି ।
ବୈଠକରେ ଉପଜିଲ୍ଲାପାଳ ଭଞ୍ଜନଗର ରାଜେନ୍ଦ୍ର ମିଞ୍ଜ, ଆଞ୍ଚଳିକ ପରିବହନ ଅଧିକାରୀ ବିକାଶ ଚନ୍ଦ୍ର ଚୌଧୁରୀ, ଜାତୀୟ ରାଜପଥର କାର୍ୟ୍ୟନିର୍ବାହୀ ଅଧିକାରୀ ସତ୍ୟ ନାରାୟଣ ସାହୁ, ଏନଏଚ. ଏ. ଆଇ. ପ୍ରକଳ୍ପ ନିର୍ଦ୍ଦେଶକ ହରି କୁମାର ଏବଂ କମିଟିର ସମସ୍ତ ସଦସ୍ୟ ଗଣ ଉପସ୍ଥିତ ଥିଲେ ।