(ଟୁକୁନା ଖରା / ନବରଙ୍ଗପୁର): ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ଚିର୍ମା ଗ୍ରାମରେ କିଛି ଲୋକ ଦେବସ୍ଥଳୀ ଜମିକୁ ଜବରଦଖଲ କରି ବେଆଇନ ଭାବେ ଗୃହ, ଦୋକାନ ନିର୍ମାଣ କରିଥିବା ସ୍ଥାନକୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଲଡଜର ଲଗାଇ ଉଚ୍ଛେଦ କରାଯାଇଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାଇ ଚିର୍ମା ଗ୍ରାମରେ ଥିବା ଦେବସ୍ଥଳୀ ଜମିକୁ ଗ୍ରାମର କିଛିଲୋକ ଜବରଦଖଲ କରି ସେଠାରେ ବେନିୟମ ଭାବେ ଘର , ଦୋକାନ ଷ୍ଟଲ ଏବଂ ପାଚେରୀ ନିର୍ମାଣ କରିଥିବା ନେଇ ଗ୍ରାମର ଶତାଧିକ ଲୋକ ନବରଙ୍ଗପୁର ଜିଲ୍ଳାପାଳ ଙ୍କ ଠାରେ ଅଭିଯୋଗ କରିଥିଲେ ଓ ଯଥାଶୀଘ୍ର ଉକ୍ତ ଜବରଦଖଲକୁ ଉଚ୍ଛେଦ କରିବାସହ ଜବରଦଖଲକାରୀଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ । ଏନେଇ ଜିଲ୍ଳାପାଳ ନବରଙ୍ଗପୁର ଉପଜିଲ୍ଲାପାଳ ଓ କୋଡ଼ିଙ୍ଗା ତହସିଲଦାରଙ୍କୁ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେଣୁ ଆଜି ଜିଲ୍ଲା ପ୍ରଶାସନ ତରଫରୁ ବେଆଇନ ଜବରଦଖଲକୁ ବୁଲଡ଼ଜର ଲଗାଇ ଉକ୍ତ ସ୍ଥାନକୁ ଉଚ୍ଛେଦ ପ୍ରକ୍ରିୟା କରାଯାଇଥିବା ଜଣାପଡିଛି । ଜବରଦଖଲ ଉଚ୍ଛେଦ ସମୟରେ ନବରଙ୍ଗପୁର ଉପଜିଲ୍ଲାପାଳ , କୋଡ଼ିଙ୍ଗା ତହସିଲଦାର , ଅତିରିକ୍ତ ତହସିଲଦାର , କୋଡ଼ିଙ୍ଗା ଥାନା ଅଧିକାରୀ , ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଙ୍କ ସହିତ ୩ ପ୍ଲାଟୁନ ଫୋର୍ସ ଉପସ୍ଥିତ ରହି ଉଚ୍ଛେଦ ପ୍ରକ୍ରିୟା କରିଥିଲେ । ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ବେଳେ କିଛିଲୋକ ଏହାକୁ ବିରୋଧ କରିବାରୁ ଉତେଜନା ପରିସ୍ଥିତି ଦେଖାଯାଇଥିଲା । ସେସବୁ ବେଆଇନ ଜବରଦଖଲ କାରୀଙ୍କ ଗୃହ , ପାଚେରୀ ଓ ଦୋକାନ ଗୁଡିକ ଉଚ୍ଛେଦ କରାଯାଇଛି । ପ୍ରକାଶ ଥାଉକି ଗତ ୩ ମାସ ତଳେ ଏନେଇ ଗ୍ରାମବାସୀ କୋଡ଼ିଙ୍ଗା ତହସିଲଦାର ଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ , ଅଭିଯୋଗ ପରେ ତହସିଲଦାର ତଦନ୍ତ କରି ଜବରଦଖଲ କାରୀଙ୍କ ବିରୋଧରେ ମକଦମା ରୁଜୁ କରି ତହସିଲଦାର ସମ୍ପୃକ୍ତ ବ୍ୟକ୍ତି ମାନଙ୍କୁ ଜାଗା ଖାଲି କରିବାକୁ ନିର୍ଦ୍ଧିଷ୍ଟ ସମୟସୀମା ଦେଇଥିଲେ , କିନ୍ତୁ ଜବରଦଖଲ କାରୀମାନେ ଜାଗା ଖାଲି ନକରିବାରୁ ପୁଣି ଥରେ ଗ୍ରାମବାସୀ ଗତ ୯ ତାରିଖ ଦିନ ନବରଙ୍ଗପୁର ଜିଲ୍ଳାପାଳଙ୍କୁ ଏନେଇ ଅଭିଯୋଗ କରିଥିଲେ । ଜିଲ୍ଳାପାଳ ଶୀଘ୍ର ଏହାର ସ୍ଥାୟୀ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।