ନୂଆଦିଲ୍ଲୀ: କୋଭିଡ-୧୯ ପରେ ଶିଶୁଙ୍କ ସ୍ନାୟୁଜନିତ ରୋଗ ଦେଖାଯିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଦିଲ୍ଲୀ ଏମ୍ସରେ ପ୍ରଥମ ଥର କୋଭିଡ ପରେ ସ୍ନାୟୁ ସମସ୍ୟା ନେଇ ରିପୋର୍ଟ କରାଯାଇଛି । ଏହା ଦ୍ବାରା ଦୃଷ୍ଟି ଶକ୍ତି ଅସ୍ପଷ୍ଟ ହୋଇଯାଇଥାଏ । ଜଣେ ୧୧ ବର୍ଷୀୟ ବାଳକ ମଧ୍ୟରେ ଏପରି ସମସ୍ୟା ଦେଖାଦେବା ପରେ ପରୀକ୍ଷା ନିରୀକ୍ଷା ଚାଲିଛି । ଶିଶୁ ମଧ୍ୟରେ ଦୃଷ୍ଟିଶକ୍ତି ସମସ୍ୟା ଦେଖାଦେବାରୁ ତାର ପରିବାର ଏମ୍ସ ନେଇଥିଲେ । ପରେ ଡାକ୍ତର ଏହି ବିଷୟରେ ଜାଣିବାକୁ ପାଇଲେ । ଇମ୍ୟୁନୋଥେରାପୀ ପରେ ଶିଶୁଟିକୁ ଡିସଚାର୍ଜ କରାଯାଇଛି।
ଶିଶୁ ସ୍ନାୟୁବିଜ୍ଞାନ ବିଭାଗର ଡାକ୍ତରମାନେ ଶିଶୁର ସ୍ବାସ୍ଥ୍ୟବସ୍ଥା ବିଷୟରେ ଏକ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି ଯାହା ଶୀଘ୍ର ପ୍ରକାଶ କରାଯିବ। ଶିଶୁଟି ମଧ୍ୟରେ ଆକ୍ୟୁଟ ଡେମିଲିନେଟିଂ ସିଣ୍ଡ୍ରମ (ଏଡିଏସ) ଦେଖାଦେଇଛି । ସ୍ନାୟୁଗୁଡିକ ମୁଖ୍ୟତଃ ମାୟେଲିନ୍ ନାମକ ଏକ ପ୍ରତିରକ୍ଷା ସ୍ତର ଦ୍ବାରା ଆଚ୍ଛାଦିତ ହୋଇଥାଏ, ଏହା ମସ୍ତିଷ୍କରୁ ବାର୍ତ୍ତା ଶରୀରକୁ ଶୀଘ୍ର ଏବଂ ସୁଗମ ଭାବରେ ଗତି କରିବାରେ ସାହାଯ୍ୟ କରେ । ଏଡିଏସ ମାୟେଲିନକୁ ନଷ୍ଟ କରିଦିଏ । କୋଭିଡ ପରେ ମସ୍ତିଷ୍କର ଏହି କେତେକ ଅବସ୍ଥା ଦୀର୍ଘକାଳୀନ ସ୍ୱାୟବିକ ବିକାଶ ଉପରେ ପ୍ରତିକୂଳ ପ୍ରଭାବ ପକାଇବା ଆଶଙ୍କା କରାଯାଉଛି ।