କୋଭିଡ୍ ମୁକାବିଲା ପାଇଁ ଗଞ୍ଜାମ ସରପଞ୍ଚମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ରଜନୀକାନ୍ତ ପାତ୍ର/ ହିଞ୍ଜିଳି: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସି ଜରିଆରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପଞ୍ଚାୟତର ସରପଞ୍ଚମାନଙ୍କ ସହିତ କୋଭିଡ୍ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ । ଗଞ୍ଜାମ ଜିଲ୍ଲାରେ କୋଭିଡ୍ ସଂକ୍ରମଣର ନିୟନ୍ତ୍ରଣ ପାଇଁ ଜିଲ୍ଲାର ସରପଞ୍ଚମାନେ ଯେଭଳି ଦକ୍ଷ ନେତୃତ୍ବର ପରିଚୟ ଦେଇ ପରିସ୍ଥିତିରେ ଉନ୍ନତି ଆଣିପାରିଛନ୍ତି, ମୁଖ୍ୟମନ୍ତ୍ରୀ ତା’ର ଉଚ୍ଚ ପ୍ରଶଂସା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରପଞ୍ଚମାନେ ସଂକ୍ରମଣ ନିୟନ୍ତ୍ରଣ ପାଇଁ ପରିସ୍ଥିତିକୁ ଦେଖି ବିଭିନ୍ନ ସ୍ଥାନରେ ଲକ୍ଡାଉନ୍ ଓ ସଟ୍ଡାଉନ୍ ପରି କଡା ପଦକ୍ଷେପ ନେବା ସହିତ କୋଭିଡ୍ କେୟାର ହୋମ, କୋଭିଡ୍ ମ୍ୟାନେଜମେଣ୍ଟ ସେଣ୍ଟର, ଟେଷ୍ଟିଂ, ସର୍ଭେ ଆଦି ସବୁଥିରେ ସହଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ, କରୋନା ବିରୁଦ୍ଧରେ ଚାଲିଥିବା ଲଢେଇରେ ଗଞ୍ଜାମ ଜିଲ୍ଲା ଆଗରେ ଅଛି । ଓଡିଶା ଫେରିଥିବା ଲକ୍ଷ ଲକ୍ଷ ଭାଇ ଭଉଣୀମାନଙ୍କ ପାଇଁ ଠିକ୍ ସମୟରେ ଟେମ୍ପରାରି ମେଡିକାଲ କ୍ୟାମ୍ପ କରିବା, ସେଗୁଡିକୁ ଠିକ୍ ଭାବରେ ପରିଚାଳନା କରିବା ଓ ଲୋକଙ୍କୁ ସେବା ଯୋଗାଇବା ସରପଞ୍ଚମାନଙ୍କ ଉଦ୍ୟମ ଓ ସହଯୋଗ ଯୋଗୁ ସମ୍ଭବ ହୋଇପାରିଛି ସରପଞ୍ଚମାନଙ୍କ ଉପରେ ମୁଖ୍ୟମନ୍ତ୍ରୀ ଗଭୀର ବିଶ୍ବାସ ପ୍ରକଟ କରିବା ସହ ସେମାନଙ୍କୁ ଦିଆଯାଇଥିବା ଜିଲ୍ଲାପାଳ କ୍ଷମତା କରୋନା ନିୟନ୍ତ୍ରଣରେ ସଫଳ ଉପଯୋଗ କରିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ସରପଞ୍ଚମାନଙ୍କ ନିଷ୍ଠା ଓ ପରିଶ୍ରମ ଯୋଗୁ ପଜିଟିଭ୍ କେସ୍ କମୁଛି, ଆରୋଗ୍ୟ ହାର ବଢୁଛି, ମୃତ୍ୟୁହାର କମୁଛି । ଆଗାମୀ ଦିନରେ ସରପଞ୍ଚମାନଙ୍କର ଭଲ କାମ କୋଭିଡ୍ ପରିଚାଳନାରେ ସାରା ଦେଶକୁ ବାଟ ଦେଖାଇବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।ସରପଞ୍ଚମାନଙ୍କର ଏହି ଭଲ କାମ ପାଇଁ ସେ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ବର୍ତ୍ତମାନ ପରିସ୍ଥିତିରେ ଯେଉଁ ଉନ୍ନତି ଆସିଛି ସେଥିରେ ସନ୍ତୁଷ୍ଟ ନ ହୋଇ କରୋନାକୁ ସମ୍ପୁର୍ଣ୍ଣ ନିପାତ ପର୍ୟ୍ୟନ୍ତ ଲଢେଇ ଜାରି ରଖିବାକୁ ଆହ୍ବାନ ଦେଇଥିଲେ । ସରପଞ୍ଚମାନଙ୍କୁ ସବୁ ପ୍ରକାର ସହଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପଞ୍ଚାୟତମାନଙ୍କୁ ସଶକ୍ତ କରିବାପାଇଁ ବିଜୁ ବାବୁଙ୍କ ଉଦ୍ୟମକୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁ ବାବୁଙ୍କ ଆଦର୍ଶରେ ବର୍ତ୍ତମାନର ସରକାର ପଞ୍ଚାୟତକୁ ଅଧିକ କ୍ଷମତା ଦେଇଛନ୍ତି । ତେଣୁ ସରପଞ୍ଚମାନେ ସେମାନଙ୍କ ଭଲ କାମ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହ ସବୁବେଳେ ସେମାନଙ୍କ ଭଲ କାମରେ ସେ ସାଥିରେ ରହିବେ ବୋଲି କହିଥିଲେ । ସାନଖେମୁଣ୍ଡି, ହିଞ୍ଜିଳି ଓ ଭଞ୍ଜନଗର ବ୍ଲକ ଅଞ୍ଚଳର ସରପଞ୍ଚମାନେ କୋଭିଡ୍ ପରିଚାଳନା ସମ୍ପର୍କରେ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଭରସା ଓ ପ୍ରଶାସନର ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ ।
ଏହି ଆଲୋଚନାରେ ଭାଗ ନେଇ ବାଚସ୍ପତି ଶ୍ରୀ ସୂର୍ୟ୍ୟନାରାୟଣ ପାତ୍ର କହିଥିଲେ ଯେ ସରକାରଙ୍କର ସଠିକ୍ କୋଭିଡ୍ ପରିଚାଳନା ଯୋଗୁ ଗଞ୍ଜାମର ପରିସ୍ଥିତିରେ ଉନ୍ନତି ଆସିଛି ଏବଂ ଖୁବ୍ ଶିଘ୍ର କରୋନା ଦୂର ହେବ ବୋଲି ଆଶା କରାଯାଉଛି । ଏହି ଆଲୋଚନାରେ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ, ଏହି ଆଲୋଚନା ସମୟରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ୍ କମିଶନର ଏବଂ ବରିଷ୍ଠ ଅଧିକାରୀମାନେ ଓ ଗଞ୍ଜାମ ଜିଲ୍ଲାପାଳ ଉପସ୍ଥିତ ଥିଲେ ।