(ଜଳେଶ୍ୱର/ ଅଜିତ ସାହୁ): ଦିନେ ଭୋକର ଦାଉରୁ ପରିବାରକୁ ବଞ୍ଚାଇବାକୁ ସେ କାମ କରିବାକୁ ନିଜ ସବୁ କିଛି ଛାଡି ପଡୋଶି ରାଜ୍ୟକୁ ଯାଇଥିଲେ । ସେଠାରେ କାମ କରି ଯେତିକି ଟଙ୍କା ରୋଜଗାର କରୁଥିଲେ ସେତିକିରେ ତାଙ୍କ ପରିବାର ହସଖୁସିରେ ଚଳିଯାଉଥିଲା । ଏବେ କରୋନ ମହାମାରି ବିଶ୍ୱରେ ନିଜର କାୟା ବିାସ୍ତାର କରିଚାଲିଛିି । ଏଥିରୁ ରକ୍ଷା ପାଇବା ପାଇଁ ଏକାମାତ୍ର ଓøଷଧ ହେଉଛି ସାମାଜିକ ଦୂରତା ରକ୍ଷା କରିବା । ଯାହାକୁ ଦୃଷ୍ଟିରେ ରଖି ଲକଡାଉନ ଘୋଷଣା କରାଯାଇଛି । କିନ୍ତୁ ଲକଡାଉନ ଲାଗୁ ହେବା ପରେ ପ୍ରବାସୀଙ୍କ ରାତିର ନିଦ ହଜିଯାଇଛି । ଘରକୁ ଯିବାକୁ ବାଟ ଖୋଜୁଛନ୍ତି । କିନ୍ତୁ ସମସ୍ତଙ୍କ ଭାଗ୍ୟରେ ଘରେ ପହଞ୍ଚିବା ସମ୍ଭବ ହେଉ ନାହିଁ । କିଛି ହତଭାଗା ଚାଲୁଚାଲୁ ଗାଡି ମୋଟର ତଳେ ଚାପି ହେଉଛନ୍ତି ତ ପୁଣି କିଛି ଆପଣା ଛାଏଁ ଟଳିପଡୁଛନ୍ତି ।
ଏମିତି ଜଣେ ପ୍ରବାସୀଙ୍କ ଆଜି ଜଳେଶ୍ୱର ତନଖୀ ଫାଟକ ନିକଟରେ ମୃତ୍ୟୁ ହୋଇଛି । ମୃତ୍ୟୁ ବରଣ କରିଥିବା ପ୍ରବାଶୀ ଜଣକ ହେଲେ ଧୁବେଇ ମହାନ୍ତି(୫୮) । ଘର ପୁରୀ ଜିଲ୍ଲା କାକଟପୁର ଅଞ୍ଚଳରେ । ଧୁବେଇ କାମ କରିବାକୁ ପଶ୍ଚିମ ବଙ୍ଗ ଯାଇଥିଲେ । ଆଖିରେ ଥିଲା ଅସୁମାରୀ ସ୍ୱପ୍ନ । କିନ୍ତୁ କରୋନା ସବୁ ସ୍ୱପ୍ନରେ ପାଣି ଫେରି ଦେଲା । ଲକଡାଉନ ପାଇଁ କମ୍ପାନୀ ବନ୍ଦ ହେଲା । କମ୍ପାନୀ କିଛି ବୁଝିଲାନି । ସବୁ ଟଙ୍କା ଖର୍ଚ୍ଚ ହେବା ପରେ ଆଉ ସେଠାରେ ରହିବା ସମ୍ଭବ ହେଲାନି । ତେଣୁ ଘରକୁ ବାହାରିଲେ । କଲିକତାରୁ ବସ ଯୋଗେ ପଶ୍ଚିମବଙ୍ଗର ସୁନାକନିଆ ପର୍ୟ୍ୟନ୍ତ ଆସିଥିଲେ। ପରେ ସେଠାରୁ ଉଦୁଉଦିଆ ଖରାରେ ଓଡିଶା ସୀମା ଭିତରକୁ ପ୍ରାୟ ଏକ କିମି ଚାଲି ଚାଲି ପ୍ରବେଶ କରିଥିଲେ। ତେବେ ଓଡିଶା ସୀମାରୁ ୧୦୦ ମିଟର ଭିତରକୁ ଆସି ରାସ୍ତା ଉପରେ ଟଳି ପଡ଼ିଥିଲେ। କମ୍ପାନୀ କର୍ତ୍ତୃପକ୍ଷ ଓ ପଶ୍ଚିମବଙ୍ଗ ସରକାରଙ୍କ ଦାଇତ୍ୱ ହୀନତା ପାଇଁ ତାଙ୍କ ମୃତ୍ୟୁ ଘଟିଥିବା ସାଧରଣରେ ଚର୍ଚ୍ଚା ଜୋର ଧରିଛି।