ଏସିଡ ପିଇ ଛାତ୍ରୀ ମୃତ

(ସରୋଜ କୁମାର ରାଉତ/ନୂଆଦିଲ୍ଲୀ ): ଉତ୍ତର-ପୂର୍ବ ଦିଲ୍ଲୀର ହର୍ଷ ବିହାରରେ ଥିବା ଏକ ଘରୋଇ ସ୍କୁଲରେ ଜଣେ ଛାତ୍ରୀ ଏସିଡ୍‌ ପିଇ ମୃତ୍ୟୁବରଣ କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଦୀପ୍‌ ଭାରତୀ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ସାଙ୍ଗ ଆଣିଥିବା ଏସିଡ୍‌ ବୋତଲକୁ ପାଣି ବୋତଲ ଭାବି ତାକୁ ପିଇ ଦେଇଥିଲେ । ଏହା ପରେ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ସରକାରୀ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏ ନେଇ ପୁଲିସକୁ ସୂଚନା ଦିଆଯିବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୁଲିସ । ଏସିଡ୍‌ ବୋତଲକୁ ଫରେନ୍‌ସିକ୍‌ ବିଭାଗକୁ ଯାଞ୍ଚ ପାଇଁ ପଠାଇବା ସହ ଘଟଣା ପାଇଁ ପ୍ରକୃତରେ କିଏ ଦାୟୀ, ସେ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ ।