ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ ମୋଦୀ

ୟୁକ୍ରେନ ସଂକଟ  ନେଇ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ୟୁକ୍ରେନ ସଂକଟ ଉପରେ ଭାରତର ସ୍ଥତିକୁ ପୁଣି ଦୋହରାଇଛନ୍ତି। ଏହାସହ ଏହି ସଂକଟକୁ ଉଦ୍ଧାର ପାଇବାକୁ ମୋଦୀ କୂଟନୈତିକ ତରିକା ଆପଣାଇବାକୁ ଋଷ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦେଇଛନ୍ତି। କହିରଖୁ କି ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ପ୍ରଧାନମନ୍ତ୍ରୀ ମୋଦୀ ଏହା ପୂର୍ବରୁ ବି ପୁଟିନଙ୍କ ସହ କଥା ହୋଇସାରିଛନ୍ତି। ଆଜିର ଏହି ବାର୍ତ୍ତାଳାପ ମଧ୍ୟରେ ୟୁକ୍ରେନ ସଂକଟ ବ୍ୟତୀତ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଓ ବିଶ୍ୱର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିବା କଥା କୁହାଯାଉଛି। ଏହାସହ ପୁଟିନ ଭାରତ ଆସିଥିବା ବେଳେ ଉଭୟ ଦେଶ ମଧ୍ୟରେ ହୋଇଥିବା ଚୁକ୍ତିର ଅଗ୍ରଗତି ଉପରେ ମଧ୍ୟ ଆଲୋଚନା ହୋଇଥିବା କଥା କୁହାଯାଇଛି। ସୂଚନା ମୁତାବକ ଏହି ଆଲୋଚନାରେ ଋଷର ଖାଦ୍ୟ ସୁରକ୍ଷା ସମେତ ଅନେକ ବିଶ୍ୱ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ମୁତାବକ ଉଭୟ ଦେଶ ମଧ୍ୟରେ କୃଷି, ଫାର୍ମା ପ୍ରଡକ୍ଟ ଓ ରାସାୟନିକ ସାରକୁ ନେଇ ଚର୍ଚ୍ଚା ହୋଇଛି। କହିରଖୁ କି ଋଷ ରାଷ୍ଟ୍ରପତି ପୁଟିନ ୨୦୨୧ ଡିସେମ୍ବର ମାସରେ ଭାରତ ଗସ୍ତରେ ଆସିଥିଲେ। ଏହି ଗ୍ରସ୍ତ ବେଳେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ବୈଠକରେ ଉଭୟ ଦେଶ ମଧ୍ୟରେ ଦୀର୍ଘ ବର୍ଷ ଧରି ଚାଲିଥିବା ସଂପର୍କକୁ ମଜବୁତ କରିବାକୁ କିଛି ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା।