(ଶିଳାସ୍ମିତା ରାୟ) ଭୁବନେଶ୍ୱର: ବିଜେଡିରେ ଟିକେଟ ପାଇଁ ଚାଲିଛି କସରତ । ନବୀନ ନିବାସ ନେତାଙ୍କ ଗହଳୀରେ ଉଠୁଛି ପଡୁଛି । ସମସ୍ତେ ନବୀନଙ୍କୁ ଭେଟି ତେଲ ମାରିବାରେ ଲାଗି ପଡିଛନ୍ତି । ଏମିତି କ୍ରମରେ ଆଜି ଜୟପୁରର ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ରବିନାରାୟଣ ନନ୍ଦଙ୍କୁ ଦେଖିବାକୁ ମିଳିଥିଲା ନବୀନ ନିବାସରେ ।
କିନ୍ତୁ ଏକ ଭିତିରିଆ ସୂତ୍ରରୁ ଜଣାପଡିଛି କି, ସୁପ୍ରିମୋ କୁଆଡେ ଜୟପୁର ଆସନରୁ ଜଣେ ମହିଳା ନେତ୍ରୀଙ୍କୁ ଠିଆ କରିବାକୁ ଯାଉଛନ୍ତି । ଏହାକୁ ନେଇ ସୂୁପ୍ରିମୋ ମଧ୍ୟ ସବୁଜ ସଙ୍କେତ ଦେଇ ସାରିଛନ୍ତି । ସେହି ଭାଗ୍ୟଶାଳୀ ମହିଳା ଜଣକ ହେଲେ ପୂର୍ବତନ ରାଜ୍ୟ ମହିଳା କମିଶନ ସଦସ୍ୟା ତଥା ବିଜେଡି ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ର । ତାଙ୍କୁ ଦଳ ପକ୍ଷରୁ ମଧ୍ୟ କୁଆଡେ ସବୁଜ ସଙ୍କେତ ମିଳି ସାରିଛି ।
ଯଦି ସୂତ୍ରର ତଥ୍ୟ ସତ ହୋଇଥାଏ ତେବେ ଜୟପୁରର ପୂର୍ବତନ ବିଜେଡି ମନ୍ତ୍ରୀ ରବିନାରାୟର ନନ୍ଦ କୁଆଡେ ଯିବେ । ଜୟପୁରକୁ ରବିଙ୍କ ଗଡ ବୋଲି କୁହାଯାଏ । ସେ ମଧ୍ୟ ସେଠାର ଲୋକଙ୍କ ପାଇଁ ବହୁତ କିଛି କରିଛନ୍ତି । ଦଳରେ ରବିଙ୍କର ବେଶ ଆଧିପତ୍ୟ ମଧ୍ୟ ଥିଲା ।କିନ୍ତୁ ଗତ ନିର୍ବାଚନରେ କଂଗ୍ରେସର ତାରା ବାହିନୀ ପତି ତାଙ୍କୁ ହରାଇଥିଲେ । ଏପରି ସ୍ଥିତିରେ ଦଳରୁ ଲୋପାଙ୍କୁ ଟିକେଟ ଦେଇ ନବୀନ ରବିଙ୍କ ପତ୍ତା ସାଫ କରିବାକୁ ଚାହୁଁଥିବା ଶୁଣିବାକୁ ମିଳୁଛି ।