(ତ୍ରିଲୋଚନ ରାଉତ/ଭୁବନେଶ୍ୱର):ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ବାବନା ରହିଛି । ଉତ୍ତର ଓଡ଼ିଶା ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସହିତ ଘୂର୍ଣ୍ଣିବଳୟ ସକ୍ରିୟ ଥିବାରୁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ପ୍ରକୋପ ଜାରି ରହିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ କେତେକ ଜିଲାରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ତେବେ ବର୍ଷା ପ୍ରଭାବ ଆସନ୍ତା ୧୧ତାରିଖ ପର୍ୟ୍ୟନ୍ତ ଲାଗିରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସୋନପୁର, ବରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ଆଦି ୪ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏସବୁ ଜିଲା ପାଇଁ ୱାର୍ନିଂ ଜାରି କରାଯାଇଛି। ସେହିପରି ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଅନୁଗୋଳ, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା ଓ ନବରଙ୍ଗପୁର ଆଦି ୮ଟି ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି। ଏହାଛଡ଼ା କୋରାପୁଟ, କଳାହାଣ୍ଡି, କନ୍ଧମାଳ,ଢ଼େଙ୍କାନାଳ, କଟକ ଓ ମୟୂରଭଞ୍ଜ ଆଦି ୬ଟି ଜିଲ୍ଲାରେ ମଧ୍ୟ କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆସନ୍ତା ୯ତାରିଖ ସକାଳ ସୁଦ୍ଧା ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ନୂଆପଡ଼ା ଓ ବରଗଡ଼ ଆଦି ୫ଟି ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ତେବେ ଆସନ୍ତା ୪ଦିନ ପର୍ୟ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗରୁ ସୂଚନା ମିଳିଛି। ଲଘୁଚାପ ପ୍ରଭାବ ଯୋଗୁଁ ଉପକୂଳ ଅଞ୍ଚଳରେ ୪୦ରୁ ୫୦କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ସମୁଦ୍ର ଅଶାନ୍ତ ରହିପାରେ। ତେଣୁ ମତ୍ସ୍ୟଜୀବୀ ଆସନ୍ତା ୨୪ଘଣ୍ଟା ମଧ୍ୟରେ ସମୁଦ୍ରକୁ ନଯିବା ପାଇଁ ସତର୍କ କରିଦିଆଯାଇଛି। ଯେଉଁସବୁ ଜିଲ୍ଲାକୁ ରେର୍ଡ଼, ଅରେଞ୍ଜ ଏବଂ ୟେଲୋ ୱାର୍ନିଂ ଜାରି କରାଯାଇଛି ସେଠିକାର ଜିଲ୍ଲାପାଳମାନେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ରହିବା ନିମନ୍ତେ ସ୍ବତନ୍ତ୍ର ରିଲିଫ କମିଶନର ଏସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି। ଆବଶ୍ୟକ ସ୍ଥଳେ ତଳିଆ ଓ ଜଳମଗ୍ନ ଆଶଙ୍କା ଥିବା ଅଞ୍ଚଳରୁ ଲୋକଙ୍କୁ ନିରାପଦ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବା ସହିତ ସେମାନଙ୍କୁ ଖାଦ୍ୟ, ପାନୀୟଜଳ ଆଦି ଯୋଗାଇଦେବା ପାଇଁ ଆଗୁଆ ବ୍ୟବସ୍ଥା କରିବାକୁ କୁହାଯାଇଛି।