ଆଫଗାନିସ୍ତାନ ଛାଡିବାକୁ ବିମାନ ବନ୍ଦରରେ ଲୋକଙ୍କ ପ୍ରବଳ ଭିଡ

କାବୁଲ: ତାଲିବାନ ଆଫଗାନିସ୍ତାନକୁ ନିଜ କବ୍ଜାକୁ ନେବା ପରେ ରାଷ୍ଟ୍ରପତି ପଦ ଛାଡି ଦେଇଛନ୍ତି । ସେ ରାତି ଅଧିଆ ଦେଶ ଛାଡିଦେଇଛନ୍ତି । ଦେଶରେ ସ୍ଥିତି ଭୟଙ୍କର ହେବାରେ ଲାଗିଛି । ଆମେରିକା ସମେତ ଭାରତ, ବ୍ରିଟେନ ଓ ଅନ୍ୟାନ୍ୟ ରାଷ୍ଟ୍ର ସେମାନଙ୍କ ନାଗରିକଙ୍କୁ ଆଫଗାନ ଛାଡିବାକୁ ନିର୍ଦ୍ଦେଶ ଦେବା ସହ ସେମାନଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ପଦକ୍ଷେପ ନେଇଛନ୍ତି । ଫଳରେ କାବୁଲ ବିମାନ ବନ୍ଦରରେ ପ୍ରବଳ ଭିଡ। ବିମାନରେ ଚଢିବାକୁ ଲୋକଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି ।
ଗୋଟିଏ ବିମାନରେ ଚଢିବାକୁ ହଜାର ହଜାର ସଂଖ୍ୟକ ଲୋକ ଟଣାଓଟରା ହେଉଛନ୍ତି । ବିମାନର କ୍ଷମତାଠାରୁ ଅଧିକ ଲୋକ ଜୀବନ ବିକଳରେ ବିମାନରେ ପଶୁଛନ୍ତି । ଆଜି ସକାଳୁ କାବୁଲ ବିମାନ ବନ୍ଦରରେ ଏଭଳି ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଭିଡକୁ ନିୟନ୍ତ୍ରଣ କରିବାକୁ ଯାଇ ଆମେରିକା ସେନା ଫାଙ୍କା ଗୁଳିମାଡ କରିଥିଲା। ସେପଟେ କାବୁଲର ହମିଦ କରଞ୍ଜାଇ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସମସ୍ତ ବ୍ୟବସାୟିକ ବିମାନ ଚଳାଚଳ ସ୍ଥଗିତ ରଖାଯାଇଛି।