ଆତ୍ମସମର୍ପଣ କଲେ ମାଓବାଦୀଙ୍କୁ ମିଳିବ ମାଗଣା ଚିକିତ୍ସା

(ସୂର୍ୟ୍ୟକାନ୍ତ ବେହେରା / ମାଲକାନଗିରି) : ଛତିଶଗଡ଼ରେ ମାଓବାଦୀଙ୍କୁ କରୋନା ବ୍ୟାପିବା ପରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। କରୋନା କିମ୍ବା ଅନ୍ୟ ରୋଗରେ ପୀଡ଼ିତ ଥିଲେ ଆତ୍ମସମର୍ପଣ କରିବାକୁ ଅପିଲ କରିଛନ୍ତି ମାଲକାନଗିରି ଏସପିି ହୃଷିକେଶ ଖିଲାରୀ। ପୋଲିସ ପକ୍ଷରୁ ମାଓବାଦୀଙ୍କୁ ମାଗଣା ଚିକିତ୍ସା ଓ ଅନ୍ୟାନ୍ୟ ସହଯୋଗ କରାଯିବ ବୋଲି ଏସପି କହିଛନ୍ତି। ସେହିଭଳି ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ନାଁରେ କୌଣସି ମାମଲା ହେବ ନାହିଁ ବୋଲି ମଧ୍ୟ କହିଛନ୍ତି। କିଛି ଗାଁରେ ମାଓବାଦୀଙ୍କୁ ଗ୍ରାମବାସୀ ପ୍ରବେଶ କରାଇ ଦେଉନଥିବା ବେଳେ ଛତିଶଗଡ଼ ମାଓ ସଙ୍ଗଠନରେ କରୋନା ବ୍ୟାପିଥିବା ପୋଲିସ ସ୍ପଷ୍ଟ କରିଥିବା କହିଛନ୍ତି । ଲାଲଗଡରେ ରହୁଥିବା ଗ୍ରାମବାସୀଙ୍କ ପାଇଁ ଏହା ବିପଦ ସୃଷ୍ଟି କରିପାରେ ବୋଲି କୁହାଯାଉଛି । ସୀମାନ୍ତ ମାଲକାନଗିରିରେ ସକ୍ରିୟ ମାଓ ସଙ୍ଗଠନରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିପାରେ । ତେଣୁ ମାଲକାନଗିରି ପୋଲିସ ଏହା ଉପରେ ନଜର ରଖିଥିବା ଏସପି କହିଛନ୍ତି। ଛତିଶଗଡ଼ ଦନ୍ତେୱାଡ଼ା ଜିଲ୍ଲାର ବିଭିନ୍ନ କ୍ୟାମ୍ପରେ ପ୍ରାୟ ୧୦ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଗତକାଲି ସୂଚନା ମିଳିଛି। ତେଣୁ ମାଓ ଶିବିରରେ କୋଭିଡକୁ ନେଇ ଆତଙ୍କ ଖେଳିଯିବା ସହ ଆଉ କିଛି ମାଓବାଦୀ କରୋନା ଭୟରେ ଶିବିର ଛାଡ଼ିଥିବା ଛତିଶଗଡ ପୋଲିସ ପକ୍ଷରୁ କୁହାଯାଇଛି। ତେବେ ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ଏବେ ଚିନ୍ତା ବଢିଛି।