ଅନର କିଲିଂ: ଝିଅକୁ ପ୍ରେମିକ ସହ ଦେଖି ଜୀବନ ପୋଡି ଦେଲେ ପରିବାର ଲୋକେ

ଭୁବନେଶ୍ୱର: ଉତ୍ତର ପ୍ରଦେଶର ବଣ୍ଡା ଜିଲ୍ଲାରେ ଅନର କିଲିଂ । ଗତକାଲି ସଂଧ୍ୟାରେ ଜଣେ ୧୯ ବର୍ଷୀୟା ଯୁବତୀ ଓ ତାଙ୍କ ପ୍ରେମିକଙ୍କୁ ଯୁବତୀଙ୍କ ପରିବାର ଲୋକ ଜୀବନ୍ତ ଜାଳିଦେଇଥିବା ଗୁରୁବାର ଦିନ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ବଣ୍ଡା ଜିଲ୍ଲା ମାତୌନ୍ଦର କର୍ଚ୍ଚା ଅଞ୍ଚଳରେ ଏପରି ଲୋମହର୍ଷଣ କାରୀ ଘଟଣା ଘଟି ଯାଇଛି ।
ପୁଲିସ ମୁତାବକ, କର୍ଚା ଗ୍ରାମରେ ଗୋଟିଏ ପରିବାରର ବାପା ମା ଭାଇମାନେ ବାହାରକୁ ଯାଇଥିଲେ । ଘରେ ସେମାନଙ୍କ ଝିଅ ପ୍ରିୟଙ୍କା ଏକାକୀ ଥିଲା । ବାପା ମା ସଂଧ୍ୟାରେ ଘରକୁ ଫେରି ପ୍ରିୟଙ୍କା ଓ ତାର ପ୍ରେମିକ ଭୋଳା (୨୩)ଙ୍କୁ ଅସଂଜତ ଅବସ୍ଥାରେ ପାଇଥିଲେ । ଏହା ଦେଖି ବାପା ମା ରାଗରେ ସେମାନଙ୍କ କୁଡିଆରୁ ବାହାରି ଯାଇ ଉଭୟଙ୍କୁ ବାହାରପଟୁ ତାଲା ପକାଇ ଦେଇଥିଲେ ଓ କୁଡିଆରେ ନିଆଁ ଲଗାଇ ଦେଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କ ଚିକ୍ରାର ଶୁଣି ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନେଇଥିଲେ । କିନ୍ତୁ ଭୋଳାର ସେଠାରେ ମୃତ୍ୟୁ ହୋଇଥିଲା । ପ୍ରିୟଙ୍କାର ଶରୀରର ୮୦ ଭାଗ ପୋଡି ଯାଇଥିବାରୁ ଅଧିକ ଚିକିତ୍ସା ପାଇଁ କାନପୁର ରେଫର କରାଯାଇଥିଲା । କିନ୍ତୁ ରାସ୍ତାରେ ହିଁ ପ୍ରିୟଙ୍କା ମୃତ୍ୟୁ ହୋଇଥିଲା । ଏନେଇ ଏକ ମାମଲା ପ୍ରିୟଙ୍କା ପରିବାର ୯ ଜଣଙ୍କ ନାମରେ ଥାନାରେ ରୁଜୁ ହୋଇଛି । ପୁଲିସ ୩ ଜଣଙ୍କୁ ଗିରଫ କରିଛି ଓ ଅନ୍ୟମାନଙ୍କୁ ଧରିବାକୁ ପ୍ରୟାସ ଜାରି ରଖିଛି । ଉଭୟଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଯାଇଥିବା ଏଏସପି ମହେନ୍ଦ୍ର ପ୍ରତାପ ସିଂହ ଜଣାଇଛନ୍ତି ।